Unknown

 

 

 

 

 

 

 

 

 

ଆର୍ତ୍ତତ୍ରାଣ ଚଉତିଶା

ଭକ୍ତକବି ଦୀନକୃଷ୍ଣ ଦାସ

 

(କବି ଦୀନକୃଷ୍ଣ ଦାସ ଓଡ଼ିଆ ରୀତି ଯୁଗ ସାହିତ୍ୟର ଜଣେ ଶ୍ରେଷ୍ଠ ସାଧକ। ତାଙ୍କର ଅଜସ୍ର ସୃଷ୍ଟି ସମ୍ଭାର ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଛି। କବିଙ୍କର ପ୍ରସିଦ୍ଧ ଗ୍ରନ୍ଥ ‘ରସ କଲ୍ଲୋଳ’ ସାରସ୍ୱତ ଜଗତର ଏକ ଅମ୍ଳାନ ସୃଷ୍ଟି । ବହୁ ଚଉତିଶାର ରଚୟିତା ସେ । ବାନ୍ଧବୀ ଚଉତିଶା, କମଳାକାନ୍ତ ଚଉତିଶା, ରାଧାକୃଷ୍ଣ ଚଉତିଶା, ଅମୃତନିଧି ଚଉତିଶା, ନବଘନ ଚଉତିଶା, ସ୍ନାନ ସ୍ମରଣ ଚଉତିଶା ପ୍ରଭୃତି ୧୮ଟି ଚଉତିଶା ତାଙ୍କର ରହିଛି । କବିଙ୍କର ଅନବଦ୍ୟ ସୃଷ୍ଟି ‘ଆର୍ତ୍ତତ୍ରାଣ ଚଉତିଶା’ । ଅନେକ ଏହାକୁ ‘କୃପାସିନ୍ଧୁ ଜଣାଣ ଚଉତିଶା’ ଭାବେ ଅଭିହିତ କରିଥା’ନ୍ତି। ପଦ ସରଳ, ସାବଲୀଳ, ଭାଷା ମଧୁର ଓ ମନୋମୁଗ୍‌ଧକର ।)

 

(ରାଗ- କାମୋଦୀ)

 

କୃପାସିନ୍ଧୁ ବଦନ କରି ଅବଲୋକନ

 

କଉଁ କରମହୀନ ଜନ

 

କାକୁସ୍ତଭର ହୋଇ କର ଯୋଡ଼ି ଜଣାଇଁ

 

ଗରୁଡ଼-ସ୍ତମ୍ଭ ସନ୍ନିଧାନ ହେ

 

ମହାପଭୁ!

 

କୃପା-ସରିତ-ପତି ହୋଇ

 

କର୍ମହୀନଜନର ତହିଁ

 

କରୁଣା କଲ ନାହିଁ କିପାଁ ହେ ଭାବଗ୍ରାହୀ

 

କହ ମୁଁ ବିଚିତ୍ର ମଣଇଁ ହେ

।୧।

 

 

 

 

ଖିଳ ବ୍ରହ୍ମାଣ୍ଡୋଦରେ କର୍ମହୀନ ଜନରେ

 

ଯେଣୁ ମୋ ସମ ଆନ ନାହିଁ

 

ଖଗତିଳକ-କାନ୍ତ କି କାରଣୁଁ ଏମନ୍ତ

 

ଖେଦ ଆରତେ କହିଲଇଁ ହେ

 

ମହାପ୍ରଭୁ !

 

ଖଣ୍ଡିଲ ନାହିଁ ଯେଣୁ ମୋର

 

ଖେଦ-ଆରତ-ରତ୍ନାକର

 

ଖିଳ ବ୍ରହ୍ମାଣ୍ଡୋଦରେ ଖଣ୍ଡି ନାହିଁ କାହାରେ

 

କଉଁ ବିପଦ ବିଶ୍ୱମ୍ବର ହେ

।୨।

 

 

ଗଜରାଜକୁ ଜଳେ ଗ୍ରାହ ଗ୍ରାସିଲା କାଳେ

 

ଡାକିଲା ରଖ ଆଦିମୂଳ

 

ଗରୁତର ଆତଙ୍ଗ ଜାଣି ତା’ର ଶ୍ରୀରଙ୍ଗ

 

ରଥାଙ୍ଗ ପେଷିଲେ ତତ୍କାଳ ହେ

 

ମହାପ୍ରଭୁ !

 

ଗ୍ରାହ ଜୀବନେ ନିବାରିଲ

 

ଗଜ ଦୁର୍ଗତିରୁ ତାରିଲ

 

ଗରୁତ୍ମାନ-କେତନ ମୋହ କର୍ମକୁ ହୀନ

 

ନିରାଶ-ନୀରନିଧି ହେଲ ହେ

।୩।

 

 

ଘନଶ୍ୟାମ ହେ ଘନ- ବିପଦ ବିନାଶନ

 

ବିଚାର ଥାଇ ମନେ ମୋର

 

ଘୋର ବିପତ୍ତି ଛାର କେତେ ମାତ୍ର ଯାହାର

 

ପ୍ରଭୁ ମହିମା-ଅକୂପାର ହେ

 

ମହାପ୍ରଭୁ !

 

ଘନେ ଏ କଥା ମନେ ଥିଲା

 

ଘୃଣା କି କାରଣେ ନୋହିଲା

 

ଘୋର ସଙ୍କଟ ମୋର ହୋଇ ଘଟ-କୁମର

 

ମହିମା-ବାରାଧି ଶୋଷିଲା ହେ

।୪।

 

କଠିନ ଶବ୍ଦ – ଅବଲୋକନ-ଦେଖି, କୃପା-ସରିତ-ପତି- କୃପା ରୂପକ ନଦୀର ସ୍ୱାମୀ ଅର୍ଥାତ୍ କୃପାସିନ୍ଧୁ । (୨) ଖିଳ-ଜଗତ, ବ୍ରହ୍ମାଣ୍ଡୋଦରେ – ବ୍ରହ୍ମାଣ୍ଡ ରୂପକ ଉଦର, ଖଗ-ପକ୍ଷୀ, ତିଳକ-ଶ୍ରେଷ୍ଠ, କାନ୍ତ- ସ୍ୱାମୀ ଅର୍ଥାତ୍ ଗରୁଡ଼ଙ୍କ ସ୍ୱାମୀ ଭଗବାନ, ଖେଦ-ଦୁଃଖ, ରତ୍ନାକର- ସମୁଦ୍ର, ଗ୍ରାହ-କୁମ୍ଭୀର, ରଥାଙ୍ଗ-ଚକ୍ର । (୪) ମହିମା-ଅକୂପା- ମହିମା ସମୁଦ୍ର, ଘଟ-କୁମର – ଅଗସ୍ତି ।

 

ଭାବାର୍ଥ- (୧-୪) କରୁଣାସାଗର ଭଗବାନଙ୍କ ବଦନକୁ ଅବଲୋକନ କରି କେଉଁ ଏକ କରମହୀନ ଜନଟିଏ କାକୁସ୍ତଭରା ଅନ୍ତରରେ କରଯୋଡ଼ି ଗରୁଡ଼ ସ୍ତମ୍ଭ ନିକଟରେ ଗୁହାରି ଜଣାଉଛି- ହେ ମହାପ୍ରଭୁ, କରୁଣାସିନ୍ଧୁ ହୋଇ ଏ କର୍ମହୀନ ଜନକୁ କାହିଁକି ଦୟାରୁ ବଞ୍ଚିତ କଲ, ମୁଁ ଏହାକୁ ବିଚିତ୍ର ମଣୁଛି ।

 

ଏ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡରେ ମୋ ସମାନ କର୍ମହୀନ ଜନ ନାହିଁ । ହେ ଖଗତିଳକ କାନ୍ତ ମହାପ୍ରଭୁ, ଦୁଃଖାର୍ତ୍ତ ହୋଇ କହୁଛି, ମୋର ଦୁଃଖ-ସାଗରକୁ ଖଣ୍ଡିଲ ନାହିଁ। ଏ ସଂସାରରେ କାହାର କେଉଁ ବିପଦ ବା ଖଣ୍ଡିନାହଁ ? ମୋ ବଳକୁ କିନ୍ତୁ ବିଚିତ୍ର ଆଚରଣ କରୁଛ।

 

ଗଜରାଜକୁ ଜଳ ମଧ୍ୟରେ କୁମ୍ଭୀର ଗ୍ରାସ କଲାବେଳେ, ସେ ତୁମକୁ ଆର୍ତ୍ତକଣ୍ଠରେ ହେ ଆଦିମୂଳ ରଖ ବୋଲି ପ୍ରାର୍ଥନା କଲା । ହସ୍ତୀର ଦୁଃଖକୁ ଦୂର ପାଇଁ ଚକ୍ର ପେଷି ନକ୍ରକୁ ନାଶ କଲେ-। ହେ ମହାପ୍ରଭୁ, ଗ୍ରାହକୁ ମାରି ଗଜକୁ ଦୁର୍ଗତିରୁ ତାରଣ କଲ । ହେ ଗରୁତ୍ମାନ- କେତନ, ମୋ କର୍ମକୁ ହୀନ କଲ, ମୋତେ ନିରାଶ କଲ ।

 

ହେ ଘନଶ୍ୟାମ, ଘନବିପଦ ବିନାଶନ, ମୋ ମନରେ ବିଚାର ଆସେ, ପ୍ରଭୁଙ୍କ ମହିମା-ସମୁଦ୍ର ଯାହା ପ୍ରତି ସଦୟ ଥାଏ, ତା’ ପ୍ରତି ଘୋର ବିପତ୍ତି ଛାର । ହେ ମହାପ୍ରଭୁ, ଏ କଥା ମନ ମଧ୍ୟରେ ଥିଲା। ମୋର ଦୁଃଖ ଅସୀମ । ଅଗସ୍ତି ସମୁଦ୍ରକୁ ଶୋଷିଲା ପ୍ରାୟ, ତୁମେ ମୋର ଦୁଃଖ ସାଗରକୁ ଅଗସ୍ତି ହୋଇ ଶୋଷି ଦିଅ ।

 

ନିରେଖ ନିସ୍ତାରଣ କାରଣେ ପ୍ରହରଣ

 

କର-କମଳରେ ବହିଛ

 

ନିଧନ ସମୟରେ କିପାଁ ମୋ ବିଷୟରେ

 

ନିର୍ଦ୍ଦୟ-ହୃଦୟ ହେଉଛ ହେ

 

ମହାପ୍ରଭୁ !

 

ନାଳାଚଳରେ ତୁମ୍ଭେ ଥିବ

 

ନିଶ୍ଚେଁ ନିରେଖ ନାଶ ଯିବ

 

ନିଖିଳ-ନିକେତନ ନବ-ପଞ୍ଚ-ଭୁବନ

 

ମଧ୍ୟେ ଏ କେମନ୍ତ ଦିଶିବ ହେ

।୫।

 

 

ଚତୁର୍ବର୍ଗ ଯାହାର ଚରଣେ ପରିଚାର

 

ଚଞ୍ଚଳା ଯାର ଆଜ୍ଞାକାରୀ

 

ଚାହିଁ ଯାହା ଶ୍ରୀମୁଖ ଚ୍ୟୁତ ଦୁରିତ ଦୁଃଖ

 

ସେ ପ୍ରଭୁ-ଭୃତ୍ୟହିଁ ଭିକାରୀ ହେ

 

ମହାପ୍ରଭୁ !

 

ଚତୁର୍ଦ୍ଦଶ ଭୁବନ ପ୍ରାଣୀ

 

ଚକିତ ହେବେ ଏହା ଶୁଣି

 

ଚିତ୍ର ନୋହଇ ଏହୁ କଥା ହେ ମହାବାହୁ

 

ନୀଳ ଶଇଳ-ଚୂଡ଼ାମଣି ହେ

।୬।

 

 

ଛାଡ଼ି ସକଳ ଆଶ ତୁମ୍ଭ ପାଦ-ସାରସ

 

ଭରସା କରିଛି ସନ୍ତତେ

 

ଲୋଭ ସାଗରେ ପଡ଼ି ମରିବା କାଳେ ବୁଡ଼ି

 

ଛାଡ଼ି ତ ଦେଉଅଛ ମୋତେ ହେ

 

ମହାପ୍ରଭୁ !

 

କ୍ଷିତି ମଣ୍ଡଳେ ତୁମ୍ଭ ବିନା

 

କ୍ଷଣେ କେ ଅଛି ଆନ ସେହ୍ନା

 

ଛନ୍ଦ ନୋହେ ଉଚିତ କହୁଛି ପ୍ରଭୁ ସତ୍ୟ

 

ନିଶ୍ଚେଁ ଏତେ ବେଳକୁ ସିନା ହେ

।୭।

 

 

ଜଗତ ଅନୁରାଗେ ଜାତ ଅବନୀ ଭାଗେ

 

ଦଇବେ ଜଗତର ନାଥ

 

ଜଗତ ଜନଙ୍କର ଭିତରୁକି ବାହାର

 

ମୁହିଁ କି କାରଣେ ଅନାଥ ? ହେ

 

ମହାପ୍ରଭୁ !

 

ଜଗନ୍ନାଥ ନାମ ବହିବ

 

ଜନ-ଆରତ ନ ଶୁଣିବ

 

ଜଗତପତି ହୋଇ ଅନୀତି କଲାଠାଇଁ

 

ଆଉ କେ କାଆଗେ କହିବ ହେ

।୮।

 

 

ଝଳିଛି ଏ ବଚନ ନବ ପଞ୍ଚ ଭୁବନ

 

ଆରତ ଭଞ୍ଜନ ଶ୍ରୀହରି

 

ଝଞ୍ଜକା ମଣୁଅଛ କିପାଁ ମୋ ବିଷୟରେ

 

ବିନାଶ କାଳେ ଦଇତାରି ହେ

 

ମହାପ୍ରଭୁ !

 

ଝାଡ଼େ ଡାକିଲା ଗର୍ଭା ଏଣୀ

 

ଝାତିକାରେ ତା ବାଣୀ ଶୁଣି

 

ଝିମିଟେ ସେ ବିପତ୍ତି ହରିଲ ହେ ଶ୍ରୀପତି

 

ମୋରେ ନିର୍ଦ୍ଦୟ କିପାଁ ପୁଣି ହେ

।୯।

 

 

ନିରାଶ ଥିଲେ ଚିତ୍ତେ କହ ହେ ପ୍ରଭୁ ମତେ

 

ମୋ ଜୀବ ପ୍ରତି ଆଶା ତୁଟୁ

 

ନିଶ୍ଚେଁ କରୁଣାନିଧି ହେଲେ ନିର୍ଦ୍ଦୟ ବୁଦ୍ଧି

 

ବୋଲି ତ୍ରିଭୁବନେ ପ୍ରକଟୁ ହେ

 

ମହାପ୍ରଭୁ !

 

ନିଶ୍ଚେଁ ନିର୍ଦ୍ଦୟ ହେବ ଯେବେ

 

ନିଖିଳ ଆଉ ନିକି ଥିବେ

 

ନାଗ-ନୃପତି, ସୁର, ସମୀର, ନିଧିଧର

 

ଯେ ଯାହା ସତ୍ୟକୁ ଲଙ୍ଘିବେ ହେ

।୧୦।

 

ଭାବାର୍ଥ- (୫-୧୦) ନିରକ୍ଷ ଜନର ନିସ୍ତାରଣ ପାଇଁ ପ୍ରହରଣ (ଅସ୍ତ୍ର) କର କମଳରେ ଧାରଣ କରିଛ । ନିଧନ ସମୟରେ ନିରକ୍ଷ ଜନରେ ନିର୍ଦ୍ଦୟ ହୃଦୟ ହେଉଛ । ହେ ମହାପ୍ରଭୁ, ନୀଳାଚଳରେ ତୁମେ ଥିବ, ଏଇଠି ନିରକ୍ଷ ଜନ ନାଶ ଯିବ । ଭୁବନ ମଧ୍ୟରେ କିମିତି ଏହା ଶୁଭିବ ?

 

ଚତୁର୍ବଗ ଯାହାଙ୍କର ପରିଚାର, ଲକ୍ଷ୍ମୀ ଯାହାଙ୍କ ଆଜ୍ଞାକାରୀ, ଯାହା ମୁଖ ଚାହିଁଲେ ଦୁଃଖ ଦୂର ହେବ, ସେ ପ୍ରଭୁଙ୍କର ମୁଁ ଭୃତ୍ୟ, ଭିକାରି । ହେ ମହାପ୍ରଭୁ, ଏହି କଥା ସବୁ ଚିତ୍ର ବା ଛଳନା ନୁହଁ । ଏହି କଥା ଶୁଣି ଚଉଦଭୁବନ ପ୍ରାଣୀ ଚକିତ ହୋଇଯିବେ । ହେ ମହାବାହୁ, ନୀଳଶୈଳ ଚୂଡ଼ାମଣି । ହେ ମହାପ୍ରଭୁ ।

 

ହେ ପ୍ରଭୁ, ସକଳ ଆଶା ଛାଡ଼ି ତୁମ ପାଦ ପଦ୍ମରେ ନିରନ୍ତର ଭରସା କରିଛି । ଦୁଃଖ ସାଗରରେ ପଡ଼ି ମରିବା କାଳରେ ମୋତେ ଛାଡ଼ି ଦେଉଛ । ହେ ମହାପ୍ରଭୁ, ତୁମ ବିନା ଏ ସଂସାରରେ ମୋର କ୍ଷଣିକ ପାଇଁ ମଧ୍ୟ ସାହା ନାହିଁ । ମିଥ୍ୟା ନୁହେଁ, ସତ୍ୟ କହୁଛି । ଏତେ ବେଳକୁ ତୁମେ ହିଁ ମୋର ସାହା ଭରସା ।

 

ଜଗତର ମଙ୍ଗଳ ବିଧାନ ପାଇଁ ତୁମେ ପୃଥିବୀ ମାଟିରେ ଜନ୍ମ ନେଇଛ । ସେହି ହେତୁରୁ ତୁମେ ଜଗତର ନାଥ । ଜଗତ ଜନଙ୍କ ମଧ୍ୟରୁ ମୁଁ କି କାରଣରେ ଅନାଥ ହୋଇଛି ? ହେ ମହାପ୍ରଭୁ, ଜଗତର ନାମ ବହନ କରିବ ଅଥଚ ଜନଙ୍କ ଦୁଃଖ ସହିନି ଏହା କିପରି ହେବ ? ନିଜେ ଜଗତପତି ହୋଇ ଯଦି ଅନୀତି କରିବ, ତେବେ ଆଉ କିଏ କାହା ଆଗରେ କହିବ ?

 

ହେ ମହାପ୍ରଭୁ, ତୁମେ ଆରତ ଭଞ୍ଜନ ଶ୍ରୀହରି ବୋଲି ଏ ଚଉଦଭୁବନ ମଧ୍ୟରେ ଖ୍ୟାତି ଅଛି, ଅଥଚ ମୁଁ ଭାବୁଛି ମୋତେ ଭଗବାନ କାହିଁକି ଦୁଃଖ ଦେଉଛନ୍ତି ? ହେ ମହାପ୍ରଭୁ, ବିପଦରେ ପଡ଼ି ଗର୍ଭିଣୀ ହରିଣୀ ତୁମକୁ ପ୍ରାର୍ଥନା କଲା । ଡାକିବା ମାତ୍ରେ ତା’ ବିପତ୍ତିକୁ ହରଣ କଲ । ହେ ଶ୍ରୀପତି, ମୋ ପ୍ରତି କାହିଁକି ନିର୍ଦ୍ଦୟ ହେଉଛ ?

 

ମୋ ପ୍ରତି ତୁମେ ମନରେ ଯଦି ନିର୍ଦ୍ଦୟ ଭାବ ଅଛି, ତେବେ ମୋତେ କୁହ, ମୁଁ ଜୀବନ ପ୍ରତି ଆଶା ଛାଡ଼ିଦେବି । ତା’ ହେଲେ ତୁମେ ଯେଉଁ କରୁଣାନିଧିର ନାମକୁ ବହିଛ, ତ୍ରିଭୁବନରେ ଏଣିକି ତୁମର ନିର୍ଦ୍ଦୟ ନିଧି ନାମ ପ୍ରକଟ ହେବ । ସେ ମହାପ୍ରଭୁ, ପୃଥିବୀରେ ଅନ୍ୟ ଯେଉଁମାନେ ଥିବେ ଅର୍ଥାତ୍ ନାଗରାଜା, ଦେବତା, ପବନ ପ୍ରଭୃତି ଯିଏ ଯାହାର ସତ୍ୟକୁ ଭାଙ୍ଗିବେ । ତୁମେ ଯଦି ସତ୍ୟକୁ ଭାଙ୍ଗିବ, ଅନ୍ୟମାନେ ଭାଙ୍ଗିଲେ କ୍ଷତି କ’ଣ ?

 

ଟିକାଏ ବିଳମ୍ବିତ ନ କରି ପଣ୍ଡୁ ସୁତ

 

ଯୋଷିତ ସଙ୍କଟୁ ତାରିଲ

 

ଟେକ ଦୁଃସହ ଘୋର ଦାରିଦ୍ର୍ୟ ସୁଦାମାର

 

ଦର୍ଶନ ମାତ୍ରକେ ହରିଲ ହେ

 

ମହାପ୍ରଭୁ !

 

ଟେକ କରୁଣା କଟାକ୍ଷରେ

 

ଟିକାଏ ବଲୋକିଲେ ମୋରେ

 

ଟଳିବ କି ମହିମା ସଂସାର ସୁଖ ସୀମା

 

ଏମନ୍ତ ବିଚାର ମନରେ ହେ

।୧୧।

 

 

ଠାବ ନ କରି ଚିତ୍ତେ କଉଁ ଦୋଷକୁ ମୋତେ

 

ନିରାଶ କରୁଛ ଗୋସାଇଁ ।

 

ଠାକୁର ହୋଇ ଭୃତ୍ୟ- ଠାରେ କଲେ ଏମନ୍ତ

 

ଆଉ ତାହାର ଗତି କାହିଁ ହେ

 

ମହାପ୍ରଭୁ !

 

ଠୁଳ ବିପତ୍ତି ଦେଖି ମୋର

 

ଠିକେ ବା କରୁଛ ଅନ୍ତର

 

ଠଣ ପଦ୍ମଚରଣ ବିନୁ ପ୍ରତିକାରଣ

 

ଅଛି କେ ବ୍ରହ୍ମାଣ୍ଡ ଭିତର ହେ

।୧୨।

 

 

ଡେରିଥିଲ ଶ୍ରବଣ ଗଜ ଆଦି ବ୍ରାହ୍ମଣ

 

ଡାକିଲା ମାତ୍ରକେ ଶୁଣିଲ

 

ଡୋଳାଗୋଚରେ ଥାଇ ଡାକିଲେ ଶୁଣ ନାହିଁ

 

କର୍ଣ୍ଣ-କୁହର କି ମୁଦିଲ ହେ

 

ମହାପ୍ରଭୁ!

 

ଡାକ ବାଜୁଛି ଜଗତରେ

 

ଡାକିଲେ ନ ଶୁଣ କର୍ଣ୍ଣରେ

 

ଡରିଲ କି ମୋହର ବିପଦ ଦେଖି ଘୋର

 

ତେଣୁ ବା ନ ଶୁଣ ବାହ୍ୟରେ ହେ

।୧୩।

 

 

ଢାଳେ ତୁମ୍ଭ ବାହାରେ ଅଛି କେ ବ୍ରହ୍ମାଣ୍ଡରେ

 

କା’ ଆଗେ କହିବି ମୁଁ ଆଉ

 

ଢାଳେ ବିପଦାର୍ଣ୍ଣବେ ଭାସୁଛି ଭୃତ୍ୟ ଏବେ

 

ତୁମ୍ଭ ପରାୟେ ପ୍ରଭୁ ଥାଉଁ ହେ

 

ମହାପ୍ରଭୁ !

 

ଢମାଳି ପ୍ରାୟେ ମୋ ଉତ୍ତର

 

ଢାଳେ ନ ମଣ ଚକ୍ରଧର

 

ଢଳି ଯାଉଛି ଜୀବ ଦେଇ କରୁଣା ନାବ

 

ଉଦ୍ଧରି ଧର ବିଶ୍ୱମ୍ବର ହେ

।୧୪।

 

 

ଆହେ ହେ ମହାବାହୁ ବିପଦ-ଚନ୍ଦ୍ର-ରାହୁ

 

ଆଜ୍ଞା ଯେ ଦେଇଛ ଶ୍ରୀମୁଖେ

 

ଇତର ଜନ ହେଲେ ଆରତରେ ଡାକିଲେ

 

ଆତଙ୍ଗ ନ ସହଇ ରେଖେ ହେ

 

ମହାପ୍ରଭୁ !

 

ଆଉ ଆରତ ମୋହପରେ

 

ଅଛି କି ବ୍ରହ୍ମାଣ୍ଡ ଭିତରେ?

 

ଆରତତ୍ରାଣ ତାହା ଜାଣ ହେ ଚଉବାହା

 

ପ୍ରତେ ତ ନାହିଁ ମୋ ମନରେ ହେ

।୧୫।

 

ଭାବାର୍ଥ- (୧୧-୧୫) ସାମାନ୍ୟ ମାତ୍ର ବିଳମ୍ବ ନ କରି ପାଣ୍ଡବମାନଙ୍କୁ ସଙ୍କଟରୁ ଉଦ୍ଧାର କଲ । ଦର୍ଶନ ମାତ୍ରକେ ସୁଦାମାର ଦାରିଦ୍ର୍ୟ ଭଞ୍ଜନ କଲ। ହେ ମହାପ୍ରଭୁ, ମୋତେ କରୁଣା କଟାକ୍ଷରେ ଚାହଁ, ମୋତେ ସାମାନ୍ୟ କରୁଣା ଦୃଷ୍ଟିରେ ଚାହିଁଲେ ତୁମର ମହିମା ସାଗରର ସୁଖ ସୀମା ଟଳିଯିବକି ? ମନକୁ ମୋର ଏପରି ବିଚାର ଆସୁଛି ।

 

ହେ ଗୋସାଇଁ, ମନ ମଧ୍ୟରେ ମୁଁ ସ୍ଥିର କରି ପାରୁନାହିଁ । କେଉଁ କାରଣରୁ ମୋତେ ନିରାଶ କରୁଛ ? ଠାକୁର ହୋଇ ଭୃତ୍ୟଠାରେ ଯେବେ ଏହିଭଳି ଆଚରଣ କରିବ, ତେବେ କାହା ଆଗରେ ଆଉ ଦୁଃଖ କହିବି ? ହେ ମହାପ୍ରଭୁ, ମୋର ଅତିଶୟ ଦୁଃଖ ଦେଖି, ମୋତେ ଅନ୍ତର କରି ଦେଉଛି କି ? ଏ ଜଗତ ମଧ୍ୟରେ ତୁମ ପଦ୍ମପାଦ ବିନା ଅନ୍ୟ କିଛି ପ୍ରତିକାର ନାହିଁ ।

 

କାହିଁ କେତେ ଦୂରରେ ଥାଇ ଗଜ ଡାକ ଦେଲା, ବ୍ରାହ୍ମଣ ଡାକିଲା । ଶ୍ରବଣ ଡେରିକରି ଥିଲ, ଶୁଣିଲ । ଅଥଚ ମୁଁ ଆଖି ଆଗରେ ଥାଇ ଡାକୁଛି, କର୍ଣ୍ଣ ବନ୍ଦ କରି ଦେଇଛ । ହେ ମହାପ୍ରଭୁ, ଜଗତରେ ଡାକ ପଡ଼ୁଛି ଯେ, ଡାକିଲେ ତୁମ କର୍ଣ୍ଣକୁ ଶୁଭୁନାହିଁ । ମୋର ବିପଦକୁ ଦେଖି ତୁମେ ଭୟ ପାଇଗଲ କି ? ସେଥିପାଇଁ ବୋଧେ ଶୁଣୁନାହଁ ?

 

ହେ ମହାପ୍ରଭୁ, ଜଗତରେ ତୁମ ବିନା ଆଉ କିଏ ଅଛି ଯେ, କାହା ଆଗରେ ଦୁଃଖ ଜଣାଇବି ? ବିଷଦାର୍ଣ୍ଣବ (ବିଷାଦ ସାଗର)ରେ ଭୃତ୍ୟ ତୁମ ପରି ଭାସୁଛି । ହେ ଚକ୍ରଧର, ଏହାକୁ ପରିହାସ ବୋଲି ଭାବନାହିଁ । ଏ ଜୀବ ନାଶ ନ ଯାଉ । କରୁଣା ନାବ ଦେଇ ମୋତେ ଉଦ୍ଧାର କରି ଧର ।

 

ହେ ମହାବାହୁ, ମୋ ବିପଦ ଚନ୍ଦ୍ରକୁ ହ୍ରାସ କରିବାକୁ ରାହୁକୁ ଶ୍ରୀମୁଖରେ ଆଜ୍ଞା ଦେଇଛ-। ଆର୍ତ୍ତଜନ ଆର୍ତ୍ତରେ ଡାକିଲେ ମୁଁ ତାହାକୁ ସହି ପାରେ ନାହିଁ । ହେ ମହାପ୍ରଭୁ, ଏ ବ୍ରହ୍ମାଣ୍ଡ ମଧ୍ୟରେ ମୋ ପରି ଆର୍ତ୍ତଜନ କିଏ ଅଛି, ତୁମେ ତ ଆର୍ତ୍ତତ୍ରାଣ । ହେ ଚଉବାହା, ତୁମ ପ୍ରତି ମୋ ମନରେ ଆଉ ବିଶ୍ୱାସ ଆସୁନାହିଁ ।
 

ତୁମେ ତ୍ରିତାପହର ତ୍ରିଭୁବନ-ଈଶ୍ୱର

 

ପତିତଜନ-ନିସ୍ତାରଣ

 

ତେଣୁ ମନେ ମୋହର ଭରସା ନିରନ୍ତର

 

ଯେଣୁ ମୁଁ ପତିତ-ଭୂଷଣ ହେ

 

ମହାପ୍ରଭୁ !

 

ତଥାପି କରୁଣାନିଧାନ

 

ତ୍ରାହି ନ କଲେ ଦୀନଜନ

 

ଯେଣୁ ତୁମ୍ଭର ଦୀନ- ବନ୍ଧୁ-ନାମ-କେତନ

 

ତେଜ ତ୍ରିଭୁବନ-ମୋହନ ହେ

।୧୬।

 

 

ଥରେ ନୋହୁଛି ମନ ଯେହ୍ନେ ବିଜୁଳି ଘନ

 

କମଳ ଦଳ-ବନ ପ୍ରାୟେ

 

ଥିଲା ଯେଉଁ ପ୍ରଭୁକୁ ଆଶା ଉଦ୍ଧରିବାକୁ

 

ଦେଖି ସେ ପ୍ରଭୁର ନିର୍ଦ୍ଦୟ ହେ

 

ମହାପ୍ରଭୁ !

 

ଥଲେ କି ଅଛି ବ୍ରହ୍ମାଣ୍ଡରେ

 

ଥୟ ବା କେ କରିବ ମୋରେ

 

କ୍ଷିତି ଆଦି ପ୍ରଳୟେ ଯାହା ଆଜ୍ଞାରୁ ହୋୟେ

 

ସେ ପ୍ରଭୁ ନ ରଖିଲା ଠାରେ ହେ

।୧୭।

 

 

ଦୟାସାଗର ବୋଲି ଦମ୍ଭ ତେଜି ଭଜିଲି

 

ଅମ୍ୱୁଜ-ଚରଣେ ତୁମ୍ଭର

 

ଦେଲେ ଯାର ବିବୁଧ- ପତିପଦ ବିଶୁଦ୍ଧ

 

ମୋ କର୍ମେ ଦୟାହିଁ ଦୁସ୍ତର ହେ

 

ମହାପ୍ରଭୁ !

 

ଦୀନବନ୍ଧୁ ନାମ ତୁମ୍ଭର

 

ଦ୍ୱିସପ୍ତ ଲୋକରେ ଯେ ସାର

 

ଦେଖୁ ଦେଖୁ ଦୁର୍ଗତି ଦଣ୍ଡ ହେଉଛି ଅତି

 

ଏ ତ୍ରପା ହୋଇବ କାହାର ହେ

।୧୮।

 

 

ଧରିଛି ଏହୁ ଦୁଃଖ ମନେ ହେ ପଦ୍ମମୁଖ

 

ଅଭୟ ପଞ୍ଜରେ ପଶିଲେ

 

ଧରି ଦାରୁଣ ମୂର୍ତ୍ତି ହୋଇ ସକ୍ରୋଧ ଅତି

 

ବିଷମ ବିଷାଦ ଗ୍ରାସିଲେ ହେ

 

ମହାପ୍ରଭୁ !

 

ଧରି ଯା ନାମ ହୃଦୟରେ

 

ଧ୍ରୁବ ପ୍ରହଲ୍ଲାଦ ନିସ୍ତରେ

 

ଧରି ଏହୁ ଭରସା ପତିତ ପ୍ରତିଆଶା

 

କରିଛି ରଜନୀବାସରେ ହେ

।୧୯।

 

 

ନିଗୂଢ଼ ସଙ୍କଟକୁ ପେଷ ସୁଦର୍ଶନକୁ

 

ଏବେ କି କାରଣେ ନ ପେଷ

 

ନିଶ୍ଚେଁ ନିରେଖ ନାଶ ଗଲେ ହେ ହୃଷୀକେଶ!

 

ଏଥି କି ଅଛି ପଉରୋଷ ହେ

 

ମହାପ୍ରଭୁ !

 

ନ ସହି ଆଉ ତ ବିଳମ୍ବ

 

ନିସ୍ତାରିଲି ନୃପ କଦମ୍ବ

 

ନିଧନ ସମୟରେ ନିରେଖ ଜନଠାରେ

 

ଏବେ କି କାରଣେ ବିଳମ୍ବ ହେ

।୨୦।

 

ଭାବାର୍ଥ- ହେ ମହାବାହୁ, ତୁମେ ତ୍ରିତାପ ହରଣକାରୀ ତ୍ରିଭୁବନ ଈଶ୍ୱର, ପତିତ ଜନର ତ୍ରାଣକର୍ତ୍ତା । ଯେ ହେତୁ ମୁଁ ପତିତ, ମନରେ ମୋର ନିରନ୍ତର ଭରସା ଆସୁଛି, ହେ କରୁଣାମୟ ମହାପ୍ରଭୁ, ଏ ଦୀନଜନକୁ ତ୍ରାହି ନ କଲେ, ମୁଁ ଭାସିଯିବି । ତୁମର ଯେଉଁ ଦୀନବନ୍ଧୁ ନାମ ପତାକା ଉଡ଼ୁଛି, ତାକୁ ତ୍ୟାଗ କରିଦିଅ ।

 

ହେ ପ୍ରଭୁ । ପଦ୍ମବନ ପ୍ରାୟ ଓ ମେଘ ଦେହରେ ବିଜୁଳି ପରି ମନଟା ବାରମ୍ବାର ଅଥୟ ହୋଇ ଉଠୁଛି । ଯେଉଁ ପ୍ରଭୁଙ୍କ ଠାରେ ଦୁଃଖରୁ ଉଦ୍ଧାର ପାଇଁ ଆଶା କରିଥିଲି, ସେ ପ୍ରଭୁ ମୋ ପାଇଁ ନିର୍ଦ୍ଦୟ ହୋଇଛନ୍ତି । ହେ ମହାପ୍ରଭୁ, ତୁମ ବିନା ଏ ବ୍ରହ୍ମାଣ୍ଡରେ କିଏ ଅଛି ଯେ ମୋତେ ଥୟ କରିବ-? ଯାହାର ଆଜ୍ଞାରେ ସୃଷ୍ଟି, ସ୍ଥିତି ପ୍ରଭୃତିର ପ୍ରଳୟ ଘଟେ, ସେହି ଭଳି ପ୍ରଭୁ ମୋତେ ରଖିଲେ ନାହିଁ-

 

ତୁମକୁ ଦୟାସାଗର ବୋଲି ଦମ୍ଭ ଛାଡ଼ି ତୁମ ପାଦପଦ୍ମରେ ପ୍ରାର୍ଥନା କଲି । ଯିଏ ଇନ୍ଦ୍ରପଦ ଦେଇପାରେ, ସେଇଭଳି ପ୍ରଭୁ ମୋ କର୍ମରେ ଦୁଃଖ ହିଁ ଦେଇଛନ୍ତି । ପ୍ରଭୁଙ୍କର ଦୟା ମୋ ପାଇଁ ଦୁସ୍ତର। ହେ ମହାପ୍ରଭୁ, ଚଉଦ ଭୁବନରେ ତୁମର ଦୀନବନ୍ଧୁ ନାମ ପ୍ରସିଦ୍ଧି ଲାଭ କରିଛି । ଦେଖୁ ଦେଖୁ ମୋର ଦୁର୍ଗତି ପ୍ରବଳ ମାତ୍ରାରେ ବଢ଼ୁଛି । ମୁଁ ଦୁଃଖପାଇଲେ କାହାକୁ ତ୍ରପା (ଲଜ୍ଜା) ହେବ ?

 

ହେ ମହାପ୍ରଭୁ, ପଦ୍ମମୁଖ, ଦୁଃଖକୁ ମନରେ ଧରି ବଞ୍ଚିଛି । ଦାରୁଣ ମୂର୍ତ୍ତି ଧରି ସକ୍ରୋଧ ବଶତଃ ମୋର ବିଷାଦକୁ ନାଶ କର । ଯାହାର ନାମ ଧରି ଧ୍ରୁବ, ପ୍ରହଲ୍ଲାଦ ନିସ୍ତରିଛନ୍ତି, ସେଇ ପ୍ରଭୁଙ୍କ ନାମ ଧରି ମୁଁ ବା କାହିଁକି ନିସ୍ତାର ପାଇବିନି ? ଏଇ ଭରସାରେ ଦିନରାତି ତୁମକୁ ଆଶା କରୁଛି ।

 

ଯେତେବେଳେ କିଛି ସଙ୍କଟ ପଡ଼େ, ସେତେବେଳେ ତୁମେ ସୁଦର୍ଶନ ଚକ୍ରକୁ ପେଷି ତାକୁ ବିନାଶ କରିଥାଅ । ଏବେ କେଉଁ କାରଣରେ ଚକ୍ରକୁ ପେଷି ମୋର ଦୁଃଖସଙ୍କଟକୁ ବିନାଶ କରୁନାହଁ-। ମୁଁ ଜାଣିଲିଣି ଯେ ନିଶ୍ଚୟ ଏ ନିରକ୍ଷ (ନିରେଖ) ନାଶଯିବ । ହେ ହୃଷୀକେଶ, ମୁଁ ନାଶ ଗଲେ, ତୁମର କି ଅବା ପୌରୁଷ (ପଉରୋଷ) ହେବ ? ହେ ମହାପ୍ରଭୁ, ବିଳମ୍ବ ନ କରି କଦମ୍ବ ନରପତିକୁ ନିସ୍ତାରିଥିଲ, ନିଧନ (ମୃତ୍ୟୁ) ସମୟକୁ ଏ ନିରକ୍ଷ ଜନଠାରେ ଏବେ କାହିଁକି ନିସ୍ତାରିବାରେ ବିଳମ୍ବ କରୁଛ ?

 

ପରିହରି ସକଳ ଆଶା ହେ ଆଦିମୂଳ !

 

ପଶିଛି ଶରଣ ତୁମ୍ଭରେ

 

ପ୍ରଭୁ ତ ଅବିଚାର କରି ଦେଉଛ ଘୋର

 

ପ୍ରଚୁର ସଙ୍କଟ ମୁଖରେ ହେ

 

ମହାପ୍ରଭୁ !

 

ପରାପର ତୁମର ନାହିଁ

 

ପରମଦୟାଳୁ ଗୋସାଇଁ

 

ପତିତପତି ହୋଇ ପତିତଜନ ତହିଁ

 

ଏଡ଼େ ନିର୍ଦ୍ଦୟ କାହିଁପାଇଁ ହେ

।୨୧।

 

 

ଫେଡ଼ି କହିବି କେତେ ଭରସା ଅଛି ଯେତେ

 

ତୁମ୍ଭ ଶ୍ରୀଚରଣେ ମୋହର

 

ଫୁଲ୍ଲେନ୍ଦୀବରେକ୍ଷଣ ! ତାହା ତ ତୁମ୍ଭେ ଜାଣ

 

ଜାଣି କରୁଛ କିପାଁ ଦୂର ହେ

 

ମହାପ୍ରଭୁ !

 

ଫନ୍ଦା ମୁଁ କରିଛି ତୁମ୍ଭଙ୍କୁ

 

ଫାଇ ହସ୍ତରୁ ତରିବାକୁ

 

ଫେଣୀ-ଶୟନ ଦୀନ- ବାନ୍ଧବ ହୋଇ ଭିନ୍ନ

 

କରୁଛ ନିରେଖ ଜନକୁ ହେ

।୨୨।

 

 

ବନଜ-କର ଯାନ- ଚରଣ ବିଲୋକନ

 

କରି ପ୍ରମାଦ ହୋଇଥାଇଁ

 

ବିଷମ ସମୟରେ ମୋହୋ ପକ୍ଷପାତରେ

 

ପ୍ରତିକାର କରିବା ପାଇଁ ହେ

 

ମହାପ୍ରଭୁ !

 

ବିଷମ ସଙ୍କଟ ପଡ଼ିଲା

 

ବାରେ କି ଚକ୍ର ନ ଭେଦିଲା

 

ବିନାଶିବାରୁ ଗାଢ଼ ସଙ୍କଟମାନ ଦାଢ଼

 

ଚକ୍ର ବି ବକ୍ରକୁ ଭଜିଲା ହେ

।୨୩।

 

 

ଭୂମିଭାର ହରଣେ ପତିତ ନିସ୍ତାରଣେ

 

ଭୃତ୍ୟଜନ ତାରିବା ପାଇଁ

 

ଭାବେ ନୀଳକନ୍ଦରେ ବିଜେ କରିଛ କରେ

 

କମ୍ବୁ ଚକ୍ର-ଭୁଷିତ ହୋଇ ହେ

 

ମହାପ୍ରଭୁ !

 

ଭକ୍ତ ବତ୍ସଳ ତୁମ୍ଭ ବାନା

 

ଭବ-ଭୟକୁ ବଜ୍ର ସେହ୍ନା

 

ଭବ-ସାଗରେ ଯେବେ ଭୃତ୍ୟ ଭାସିବ, ଏବେ

 

ସେ ନିନ୍ଦା ତୁମ୍ଭଙ୍କୁ ହିଁ ସିନା ହେ

।୨୪।

 

 

ମହାପ୍ରଭୁ ଅନ୍ତର କଲେହେଁ ମୋହର

 

ତୁମ୍ଭ ବିନା ଦୋସର ନାହିଁ

 

ମୃଗଧୃତ ଚକୋର ଚାତକ ଜଳଧର,

 

ମୀନ ଜୀବନ ପ୍ରାୟେ ହୋଇ ହେ

 

ମହାପ୍ରଭୁ !

 

ମୋରେ ଯେବେ ଦୟା ନୋହିବ

 

ମୋ ଜୀବ କ୍ଷଣେ ନ ରହିବ

 

ମହତ କରି କହୁ- ଅଛି ହେ ମହାବାହୁ!

 

ସବୁରି ସଂଶୟ ରହିବ ହେ

।୨୫।

 

ଭାବାର୍ଥ- (୨୧-୨୫) ହେ ମହାପ୍ରଭୁ, ହେ ଆଦିମୂଳ, ସକଳ ଆଶାକୁ ପରିହାର କରି ତୁମ ପାଦତଳେ ଶରଣ ପଶିଛି; କିନ୍ତୁ ପ୍ରଭୁ ତ ମୋ ପ୍ରତି ଘୋର ଅବିଚାର କରୁଛ । ଘୋର ସଙ୍କଟରେ ମୁଁ ପଡ଼ିଛି । ପରାପର ତୁମର ନାହିଁ । ହେ ଗୋସାଇଁ ତୁମେ ପରମ ଦୟାଳୁ । ପତିତପତି ହୋଇ ମୋ ଭଳି ପତିତ ଜନ ପ୍ରତି କାହିଁକି ନିର୍ଦ୍ଦୟ ହେଉଛ ?

 

ହେ ପ୍ରଭୁ, ତୁମ୍ଭ ଶ୍ରୀଚରଣରେ ମୋର ଯେତେ ଭରସା ଅଛି, ତାକୁ ଫେଡ଼ି କରି କେତେ କହିବି । ପ୍ରଭୁ, ତୁମ୍ଭେ ଅନ୍ତର୍ଯ୍ୟାମୀ, ସବୁ ଜାଣି ମଧ୍ୟ ମୋତେ କାହିଁକି ଦୂର କରୁଛ ? ହେ ମହାପ୍ରଭୁ, ମୁଁ ତୁମକୁ ଆଶ୍ରା କରିଛି, ତୁମ ହସ୍ତରେ ତରିବାକୁ ଇଚ୍ଛା କରିଛି । ହେ ଅନନ୍ତ ଶୟନକାରୀ, ଦୀନବାନ୍ଧବ ହୋଇ ନିରକ୍ଷ ଜନକୁ ଭିନ୍ନ ଦୃଷ୍ଟିରେ ଦେଖୁଛ ।

 

ତୁମ ପଦ୍ମପାଦକୁ ଚାହିଁ ସର୍ବଦା ମୋ ହୃଦୟରେ ଉଲ୍ଲାସ ଭାବ ଜାଗ୍ରତ ହୁଏ । ମୋର ଆଶା ରହିଛି, ବିଷମ ସମୟରେ ମୋ ପକ୍ଷପାତରେ ପ୍ରତିକାର କରିବ । ହେ ମହାପ୍ରଭୁ, ବିଷମ ସଙ୍କଟ ପଡ଼ିଲା, ଅଥଚ ଚକ୍ର ଆଦୌ ଭେଦ କଲା ନାହିଁ । ଭୟଙ୍କର ସଙ୍କଟକୁ ବିନାଶ କରିବାରେ ଚକ୍ର ମଧ୍ୟ କ’ଣ ବକ୍ର ହୋଇଗଲା ।

 

ପୃଥିବୀର ଭାରାକୁ ନିବାରଣ କରିବା ପାଇଁ, ପତିତମାନଙ୍କୁ ନିସ୍ତାରଣ କରିବାକୁ ଓ ଭୃତ୍ୟଜନକୁ ତାରିବା ପାଇଁ ଭାବରେ ନୀଳକନ୍ଦରେ ବିଜେ କରିଛ । ହସ୍ତରେ ତୁମର ଶଙ୍ଖ, ଚକ୍ର ଶୋଭା ପାଉଛି । ହେ ମହାପ୍ରଭୁ, ଭକ୍ତ ବତ୍ସଳ ତୁମରି ବାନା, ଭବ-ଭୟକୁ ବଜ୍ରସେହ୍ନା (କବଚ) ସ୍ୱରୂପ । ଏ ଭବ ସାଗରରେ ଏ ଭୃତ୍ୟ ଯେବେ ଭାସିଯିବ, ତେବେ ସେ ନିନ୍ଦା ତୁମକୁ ହିଁ ଲାଗିବ ।

 

ହେ ମହାପ୍ରଭୁ, ମୋତେ ତୁମେ ଅନ୍ତର କଲେ ମଧ୍ୟ ତୁମ ବିନା ମୋର ଅନ୍ୟ କେହି ସାହା ନାହିଁ । ମୃଗା ଧୃତ ଚାତକ, ମେଘ ଜଳକୁ ଚାହିଁଥିବା ଚକୋର ଓ ଜଳ ବିହୀନ ମୀନ ପରି ମୋ ଜୀବନ । ମୋତେ ଯଦି ତୁମେ ଦୟା ନ କରିବ, କ୍ଷଣିକ ପାଇଁ ମଧ୍ୟ ମୋ ଜୀବନ ରହିବ ନାହିଁ-। ହେ ମହାବାହୁ, ମୁଁ ମହତର ସହିତ କହୁଛି, ଏ ବିଷୟରେ ସମସ୍ତଙ୍କର ସଂଶୟ ରହିବ ।

 

ଯେ ନାମ ସୁମରଣେ ମରଣ ଭୟ କ୍ଷଣେ

 

ନୋହେ ଦଣ୍ଡଧର ଦଣ୍ଡକୁ

 

ଜଗତ ନିସ୍ତାରଣ ଥାଉ ଏଡ଼େ ଦାରୁଣ

 

ହୋଇଲ ବିପଦ-କାଣ୍ଡକୁ ହେ

 

ମହାପ୍ରଭୁ !

 

ଜୀବ ଯିବାର ବଡ଼ ସୁଖ

 

ଜୀଇବା ସମ ନାହିଁ ଦୁଃଖ

 

ଯାହା ସାମନ୍ତ ଚାରି- ବର୍ଗରେ ଅଧିକାରୀ

 

ତା’ର ସେବକର ଏ ଦୁଃଖ ହେ

।୨୬।

 

 

ରାଜୀବପଦ ଯାର କରେ ପାଷାଣ ନର

 

ଶୋକ କଳୁଷ ନିବାରଣ

 

ରଙ୍କ ପ୍ରାୟେକ ତା’ର ପରିଚାର ହେବାର

 

ଏ ନିକି ପ୍ରଭୁଙ୍କୁ ଭୁଷଣ ହେ

 

ମହାପ୍ରଭୁ !

 

ରମା ଯାହାର ପ୍ରିୟବତୀ

 

ରସାଦି ତ୍ରୈଲୋକ୍ୟର ପତି

 

ରତିଏ ତ ସୁନ୍ଦର ନୋହିଲା ଏ ଉତ୍ତର

 

ଏ ନିକି ପ୍ରଭୁଙ୍କର ରୀତି ହେ

।୨୭।

 

 

ଲାଲାଟର ଲେଖନ କେ କରି ପାରେ ଆନ

 

ଏମନ୍ତ ଆଜ୍ଞା ହେବ ଅବା

 

ଲଭି ତୁମ୍ଭଙ୍କୁ ପତି କରି ହେ ରମା ପତି !

 

କର୍ମ ହିଁ କିମ୍ପା ଆଦରିବା ହେ

 

ମହାପ୍ରଭୁ !

 

ଲୀଳା ମାତ୍ରକେ ଏ ସଂସାର

 

ଲୂତାସୂତା ପ୍ରାୟେ ଏ ସଂହାର

 

ଲୋକ କର୍ମକୁ ଏହୁ କଥା ହେ ମହାବାହୁ

 

ଏମନ୍ତ ବିଚାର ମନର ହେ

।୨୮।

 

 

ବିଚିତ୍ର କରି ଗୁରୁ- ପୁତ୍ର ଶମନ ପୁରୁ

 

ଇଷିତ ମାତ୍ରକେ ଆଣିଲ

 

ବିଂଶକର ଅମର- ବର କରି ବିଧୂର

 

ବିନାଶି ବିଧିକି ଜିଣିଲେ ହେ

 

ମହାପ୍ରଭୁ !

 

ବିଷମ ସଙ୍କଟୁ ଉଦ୍ଧର

 

ବିଶ୍ୱ ସଂସାରୁ କର ପାର

 

ବିଶେଷେ ବାଞ୍ଛାନିଧି ବାଞ୍ଛା କର ପ୍ରସିଦ୍ଧି

 

ବୋଲି ବହୁତ ବାଞ୍ଛା ମୋର ହେ

।୨୯।

 

 

ଶେଷ ବିରଞ୍ଚି ଶିବ ସୁର ଆଦି ବାସବ

 

ଶୁକ ସନକ ସନାତନ

 

ସେବେ ଯେଉଁ ପୟରେ କୋଟି ଲକ୍ଷ ଅଂଶରେ

 

ମୁଁ ଦାସ ପଣେ କି ଭାଜନ ହେ

 

ମହାପ୍ରଭୁ !

 

ସବୁ ଭରସା ଅଛି ଏଣୁ

 

ଶରଣ ନିସ୍ତାରଣ ଯେଣୁ

 

ଶୁଣିଅଛି ଆହୁରି କଥାଏ ଚିତ୍ର କରି

 

ସୁମେରୁ ସମ କର ରଣୁ ହେ

।୩୦।

 

ଭାବାର୍ଥ- (୨୬-୩୦) ହେ ମହାପ୍ରଭୁ, ଯେଉଁ ନାମକୁ ସ୍ମରଣ କଲେ, କ୍ଷଣିକ ପାଇଁ ମଧ୍ୟ ମରଣ ଭୟ ରହେ ନାହିଁ, ଦଣ୍ଡଧରଙ୍କ ଦଣ୍ଡ ଭୟ ନ ଥାଏ, ଯିଏ ଜଗତ ନିସ୍ତାରଣକାରୀ ଅଥଚ ମୋ ବିପଦ ବେଳେ ଏଡ଼େ ନିଷ୍ଠୁର ହେଉଛ । ଏ ସଂସାରରେ ଜିଇଁବାଠାରୁ ଅଧିକ ଦୁଃଖ କିଛି ନାହିଁ । ମରଣରେ ହିଁ ସୁଖ ଅଛି । ଯିଏ ସମସ୍ତ ଚାରିବର୍ଗରେ ଅଧିକାରୀ, ତା’ର ସେବକ ଏତେ ଦୁଃଖ ପାଉଛି ।

 

ଯାହାର ପାଦପଦ୍ମର ସ୍ପର୍ଶରେ ପାଷାଣ ନର ପାଲଟି ଯାଏ, ଯାହା ନାମରେ ଶୋକ, ଦୁଃଖ ଓ ପାପ ଦୂରୀଭୂତ ହୁଏ, ରଙ୍କଙ୍କ ପରି ତାଙ୍କର ଭୃତ୍ୟ ହେବା ଭାଗ୍ୟର କଥା । ହେ ମହାପ୍ରଭୁ, ରମା ବା ଲକ୍ଷ୍ମୀ ଯାହାର ପ୍ରିୟବତୀ, ଯିଏ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ- ଏ ତିନିପୁରରେ ଅଧିପତି, ତାଙ୍କ ପକ୍ଷରେ ଏ ସମାନ୍ୟ ଉତ୍ତର ସୁନ୍ଦର ହେଲା ନାହିଁ । ଏହା କ’ଣ ପ୍ରଭୁଙ୍କର ରୀତି ?

 

ଲଲାଟର ଲିଖନ କେ ଆନ କରିପାରିବ ? ହେ ରମାପତି, ଏମିତି କ’ଣ ଆଜ୍ଞା ହେବକି, ତୁମ୍ଭକୁ ଠାକୁର ଭାବେ ମାନି କର୍ମକୁ କାହିଁକି ଆଦରିବା ? ହେ ମହାପ୍ରଭୁ ଏ ସଂସାର ଏକ ଲୀଳାଖେଳ । ଲୂତାସୂତା (ବୁଢ଼ିଆଣି ଜାଲ ବା ସୂତା) ପ୍ରାୟ କ୍ଷଣିକ ମଧ୍ୟରେ ସଂହାର ହୋଇଯାଏ । ହେ ମହାବାହୁ, ଲୋକର କର୍ମକୁ ଏହି କଥା ଘଟିଥାଏ । ଏମିତି ବିଚାର ମନକୁ ଆସେ ।

 

ଗୁରୁ ସାନ୍ଦୀପନିଙ୍କ ପାଇଁ ବିଚିତ୍ର କଥାଟିଏ କରିଛ । ଆଜ୍ଞାମାତ୍ରକେ ନିମିଷକ ମଧ୍ୟରେ ତାଙ୍କ ପୁତ୍ରକୁ ଯମପୁରରୁ ଆଣିଲ । ରାବଣ ଅମର ବର ପାଇ ସଂସାର ବାସୀଙ୍କ ଉପରେ ଅତ୍ୟାଚାର କରିବାରୁ ତୁମେ ତାକୁ ବିନାଶ କଲ । ହେ ମହାପ୍ରଭୁ, ବିଷମ ସଙ୍କଟ ମଧ୍ୟରୁ ମୋତେ ରକ୍ଷା କର । ଏ ଦୁଃଖପୂର୍ଣ୍ଣ ସଂସାରରୁ ପାର କର । ତୁମେ ତ ବିଶେଷେ ବାଞ୍ଛାନିଧି । ଲୋକର ବାଞ୍ଛା ପୂର୍ଣ୍ଣକର ବୋଲି ତୁମର ପ୍ରସିଦ୍ଧି ରହିଛି । ହେ ପ୍ରଭୁ, ମୋର କାମନା ପୂର୍ଣ୍ଣ କର ।

 

ଶେଷଦେବ, ବ୍ରହ୍ମା, ଶିବ, ଇନ୍ଦ୍ର ତଥା ଦେବଗଣ, ଶୁକ, ସନକ ଓ ସନାତନ ପ୍ରଭୃତି ମୁନିୠଷିବୃନ୍ଦ ଯାହାଙ୍କ ପାଦ ସେବା କରନ୍ତି, ସେମାନଙ୍କ ତୁଳନାରେ ମୁଁ ଦାସପଣରେ କୋଟି ଲକ୍ଷ ଅଂଶରେ ବି ଭାଜନ ହେବି ନାହିଁ । ହେ ମହାପ୍ରଭୁ, ତୁମେ ଶରଣ ରକ୍ଷଣ, ତେଣୁ ତୁମ ଉପରେ ମୋର ସମ୍ପୂର୍ଣ୍ଣ ଭରସା ଅଛି । କର୍ଣ୍ଣରେ ଶୁଣିଛି, ତୁମେ ସୁମେରୁ ପର୍ବତକୁ ମଧ୍ୟ ଧୂଳି କରିଦେଇପାରୁଛ । ମୋର ଦୁଃଖକୁ ସେମିତି କାଟିଦିଅ ।

 

ଶୁଣି ତୁମ୍ଭ ଭରସା ବିଶ୍ରାମ ନାମେ ଆଶା

 

ସେବିଛି ତୁମ୍ଭ ଶ୍ରୀଚରଣେ

 

ସୁଖ-ସାଗର ହୋଇ ଦୁଃଖ-ସାଗରେ ନେଇ

 

ମେଲି ଦେଉଛି କି କାରଣେ ହେ

 

ମହାପ୍ରଭୁ !

 

ସେବିଛି ତୁମ୍ଭ ପାଦ ଦୁଇ

 

ଶୋକ-ସିନ୍ଧୁ ତରିବା ପାଇଁ

 

ଶିରୀବତ୍ସଲାଞ୍ଛନ କର ପ୍ରତିକାରଣ

 

କରୁଣା କଟାକ୍ଷେ ଅନାଇ ହେ

।୩୧।

 

 

ସେବକ ହୋଇ କରି ପ୍ରଭୁ କୋପକୁ ଡରି

 

ଯେବେ ଭରସି ନ କହିବ

 

ଶୁଣ ମହିମାମେରୁ ଏ ଦୁଃଖ-ଜଳଧିରୁ

 

କେମନ୍ତ ପ୍ରକାରେ ତରିବ ହେ

 

ମହାପ୍ରଭୁ !

 

ସର୍ବଜ୍ଞ ପୁରୁଷ ଗୋସାଇଁ

 

ସକଳ ଜୀବ ହୃଦେ ଥାଇ

 

ସେବକ ଦୁଃଖ ଜାଣି ଦୟା ନ କଲେ ପୁଣି

 

ଆଉ ଜାଣନ୍ତା ଅଛି କେହି ହେ

।୩୨।

 

 

ହୃଦରେ ଅଛି ମୋର ଏଣୁ ଭବସାଗର

 

ତରିବି ତୁମ ମହିମାରୁ

 

ହେଉଅଛି ସଂଶୟେ ଯେଣୁ ମୋର ବିଷୟେ

 

ଅକରୁଣା ମହିମାମେରୁ ହେ

 

ମହାପ୍ରଭୁ !

 

ହୋଇଲା କର୍ମ ମୋ ବଇରି

 

ହୃଦୟ ନୋହିଲା ମୋହୋରି

 

ହେତୁ କର୍ମର ତୁମ୍ଭେ ତେଣୁ କରିଣ ଦମ୍ଭେ

 

ଗୁହାରି କଲି ଦଇତାରି ହେ

।୩୩।

 

 

କ୍ଷମାସାଗର ଏହି କଥାକୁ ସିନା ମୁହିଁ

 

ଛାମୁରେ ଜଣାଉଛି ବାରେ

 

କ୍ଷଣେହେଁ ଯହୁଁ ମନ ନୋହିଲା ତୁମ୍ଭ ଧ୍ୟାନ

 

ଗୁଣଗାୟନ ମାନଙ୍କରରେ ହେ

 

ମହାପ୍ରଭୁ !

 

କ୍ଷୋଭ ଯେବେ ମନେ ନୋହନ୍ତା

 

କ୍ଷଣେ କି ନାମକୁ ଛାଡ଼ନ୍ତା

 

ଛାର ଦୀନ ପାମର କୃଷ୍ଣ କିମ୍ପାଇ ଛାର

 

ଭବ-ସାଗରକୁ ଡରନ୍ତା ହେ

।୩୪।

 

ଭାବାର୍ଥ- (୩୧-୩୪) ହେ ମହାପ୍ରଭୁ, ତୁମ୍ଭ ଭରସା ପାଇବା ଶୁଣି ବିଶ୍ରାମ ନେବା ଆଶାରେ ତୁମ୍ଭ ଶ୍ରୀଚରଣ ସେବା କରିଛି । ତୁମେ ତ ସୁଖର ସାଗର କିନ୍ତୁ କେଉଁ କାରଣରେ ମୋତେ ଦୁଃଖର ସାଗରରେ ଭସାଇ ଦେଉଛ ? ଶୋକ-ସାଗରକୁ ତରିବା ପାଇଁ ତୁମ୍ଭ ଦୁଇପାଦକୁ ମୁଁ ସେବା କରିଛି। ହେ ଶ୍ରୀବତ୍ସ ଲାଞ୍ଛନ, ମୋ ପ୍ରତି କରୁଣା କଟାକ୍ଷରେ ଚାହିଁ ଦୁଃଖକୁ ମୋର ଦୂର କର ।

 

ପ୍ରଭୁର କୋପକୁ ଡରି ସେବକ ଯଦି ଭରସି କରି କିଛି ନ କହିବ, ତେବେ ହେ ମହିମା ମେରୁ, ଏ ଦୁଃଖ ସାଗରରୁ ସେ କିମିତି ତରିବ ? ହେ ମହାପ୍ରଭୁ, ସର୍ବଜ୍ଞ ପୁରୁଷ ଗୋସାଇଁ, ତୁମ ହୃଦୟରେ ସକଳ ଜୀବ ପୂରି ରହିଛନ୍ତି । ସେବକର ଦୁଃଖ ଜାଣି ତା’ ପ୍ରତି ଦୟାଶୀଳ ନ ହେଲେ ସେ କିପରି ବଞ୍ଚିବ ?

 

ମୋର ହୃଦୟରେ ଏହି ଭରସା ଅଛି ଯେ, ତୁମ୍ଭର ମହିମାରୁ ଏହି ଭବସାଗରରୁ ପାର ହେବି । ହେ ମହିମାମେରୁ, ସାଂସାରିକ ଆସକ୍ତିରେ ମୋର ମନ ବୁଡ଼ିଯାଉଛି । ତେଣୁ ସଂଶୟ ଭାବ ଜାତ ହେଉଛି । ମୋ ପ୍ରତି କରୁଣା କର । ହେ ମହାପ୍ରଭୁ, କର୍ମ ମୋର ବଇରି ହୋଇଛି, ହୃଦୟ ମୋର ହେଲା ନାହିଁ । ତୁମ୍ଭେ ହିଁ କର୍ମର ହେତୁ । ତେଣୁ ହେ ଦଇତାରି, ଦମ୍ଭ ପଣରେ ତୁମ୍ଭକୁ ଗୁହାରି ଜଣାଇଲି ।

 

ହେ କ୍ଷମାସାଗର, ତୁମ୍ଭକୁ ଏହି କଥା ସବୁ ଜଣାଇଲି । ତୁମ୍ଭରି ଧ୍ୟାନରେ ଗୁଣଗାନରେ କ୍ଷଣିକ ପାଇଁ ମଧ୍ୟ ମନ ଲାଗୁନାହିଁ । ହେ ମହାପ୍ରଭୁ, ମନରେ ଯଦି ଦୁଃଖ ବା କ୍ଷୋଭ ନ ଥା’ନ୍ତା, ତେବେ କ୍ଷଣକ ପାଇଁ ତୁମ୍ଭର ନାମକୁ ଛାଡ଼ି ଥାଆନ୍ତିକି ? ଏ ଦୀନ ପାମର ଭବ ସାଗରକୁ କାହିଁକି ଡରନ୍ତା ?

Image